ନବଗଠିତ ନିମାପଡ଼ା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ
ନିମାପଡ଼ା, ୨୮ ଜୁନ (ଶଶିକାନ୍ତ ତ୍ରିପାଠୀ): ବିକଶିତ, ସମୃଦ୍ଧ ଓ ଉତ୍କର୍ଷ ନିମାପଡ଼ା ଗଠନର ସଂକଳ୍ପକୁ ଆଧାର କରି ନବଗଠିତ ନିମାପଡ଼ା ସାମ୍ବାଦିକ ସଂଘର ପ୍ରଥମ ସାଧାରଣ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ରବିବାର ଦିଘାଳ ସ୍ଥିତ ମନସା କାନନ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ନିମାପଡ଼ା, ଚାରିଛକ ଓ ବଳଙ୍ଗା ଅଞ୍ଚଳର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା, ସାମ୍ବାଦିକଙ୍କ ଏକତା, ବୃତ୍ତିଗତ ସୁରକ୍ଷା ଏବଂ ଅଞ୍ଚଳର ସାମଗ୍ରିକ ବିକାଶରେ ଗଣମାଧ୍ୟମର ଭୂମିକା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତାମାନଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଅକ୍ଷୟ କୁମାର ନାୟକ ସଭାପତି, ଅରୁଣ ମହାପାତ୍ର ଉପସଭାପତି, ଅଶୋକ ବେହେରା ସାଧାରଣ ସମ୍ପାଦକ, ଅଜିତ ରଞ୍ଜନ ସାହୁ ଓ ଶିଶିର କୁମାର ସ୍ୱାଇଁ ସହ-ସମ୍ପାଦକ, ସାନ୍ତୁନ ମହାନ୍ତି କୋଷାଧ୍ୟକ୍ଷ ଏବଂ ନିବେଦିତା ମିଶ୍ର ସଂଗଠନ ସମ୍ପାଦିକା ଭାବେ ମନୋନୀତ ହୋଇଥିଲେ। ସେହିପରି ରାଜକିଶୋର ଦାଶ, ସୁକାନ୍ତ କର ଓ କେଦାରନାଥ ସାହୁଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା।
ବୈଠକରେ ନିମାପଡ଼ା ନିର୍ବାଚନମଣ୍ଡଳୀରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନିମାପଡ଼ା ସାମ୍ବାଦିକ ସଂଘରେ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା।
ସାଧାରଣ ପରିଷଦ ବୈଠକରେ ଚିତ୍ତରଞ୍ଜନ ମହାନ୍ତି, ରଞ୍ଜନ ଦାଶ, ବିଭୂତି ମହାପାତ୍ର, ସତ୍ୟମ୍ ଜୋସେଫ ଲେଙ୍କା, ବିବେକାନନ୍ଦ ସେଠୀ, ଅଭୟ ସ୍ୱାଇଁ, ଜୟନ୍ତ ସେଠୀ, ଦୁର୍ଗାପ୍ରସାଦ ମହାପାତ୍ର, ସିଦ୍ଧାର୍ଥ ଶଙ୍କର, ମିଳନ ମହାନ୍ତି ଓ ଅରୁଣ ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ରହି ସଂଘର ସାଂଗଠନିକ ସୁଦୃଢ଼ତା, ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା, ସାମ୍ବାଦିକତାର ବିକାଶ ଏବଂ ନିମାପଡ଼ାର ବିକାଶମୂଳକ ପ୍ରସଙ୍ଗଗୁଡ଼ିକୁ ପ୍ରାଥମିକତାର ସହ ଉପସ୍ଥାପନ କରିବା ନେଇ ମତବିନିମୟ କରିଥିଲେ।
ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ନିମାପଡ଼ାର ସାଧାରଣ ଜନତାଙ୍କ ସ୍ୱାର୍ଥ, ବିଭିନ୍ନ ଜନସମସ୍ୟା, ବିକାଶମୂଳକ ପ୍ରସଙ୍ଗ ଏବଂ ସାମାଜିକ ଦାୟିତ୍ୱକୁ ପ୍ରାଥମିକତା ଦେଇ ସଂଘ କାର୍ଯ୍ୟ କରିବ। ସେହିପରି ସାମ୍ବାଦିକଙ୍କ ମଧ୍ୟରେ ଭ୍ରାତୃତ୍ୱ, ପାରସ୍ପରିକ ସହଯୋଗ ଓ ବୃତ୍ତିଗତ ମର୍ଯ୍ୟାଦା ବଜାୟ ରଖି ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ସଂଘ ନିରନ୍ତର କାର୍ଯ୍ୟ କରିବ ବୋଲି ନବନିର୍ବାଚିତ କର୍ମକର୍ତ୍ତାମାନେ ସଂକଳ୍ପ ବ୍ୟକ୍ତ କରିଥିଲେ।
ବିକଶିତ, ସମୃଦ୍ଧ ଓ ଉତ୍କର୍ଷ ନିମାପଡ଼ା ଗଠନରେ ଗଣମାଧ୍ୟମ ଏକ ସକାରାତ୍ମକ ସହଯୋଗୀ ଭାବେ କାର୍ଯ୍ୟ କରିବ ବୋଲି ନିମାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ସଂକଳ୍ପ ପ୍ରକାଶ କରାଯାଇଥିଲା।
What's Your Reaction?